ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ରରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷାର ଉଲ୍ଲେଖନୀୟ କାର୍ଯ୍ୟ

0
Untitled

ବାରିପଦା,ନୂଆଦିଲ୍ଲୀ,୨୯/୦୯(ପ୍ରବାହ ନ୍ୟୁଜ): ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (STR) କ୍ଷେତ୍ରରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଇକୋ ୱାରିୟର ଆୱାର୍ଡ-୨୦୨୬’ (Eco Warrior Awards 2026) ପ୍ରଦାନ କରାଯାଇଛି। ସୁରକ୍ଷିତ ଅଞ୍ଚଳ ପରିଚାଳନା (Protected Area Management) ବର୍ଗରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଭବ୍ୟ ସମାରୋହରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଗୋଗିନେନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଇଣ୍ଡିଆନ ଫରେଷ୍ଟ ସର୍ଭିସ ଆସୋସିଏସନ (IFSA) ଏବଂ ‘ଇଣ୍ଡିଆନ ମାଷ୍ଟରମାଇଣ୍ଡସ’ର ମିଳିତ ଆନୁକୂଲ୍ୟରେ ଏହି ଚତୁର୍ଥ ସଂସ୍କରଣ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। 

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତାରେ ବ୍ୟାଘ୍ର ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଡ. ଗୋଗିନେନୀଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ନେତୃତ୍ୱକୁ ଏହି ଅବସରରେ ଉଚ୍ଚ ପ୍ରଶଂସା କରାଯାଇଛି।

 ଏହି ଜାତୀୟ ସ୍ତରର ସମ୍ମାନ ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। 

Leave a Reply

Your email address will not be published. Required fields are marked *