ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନ୍କୁ ଖଣି କ୍ଷେତ୍ରରେ ଡିଜିଟାଲ୍ ଉପଯୋଗିତା ପାଇଁ “ମାଇନ୍ ଇନୋଭେସନ୍ ଆୱାର୍ଡ” ସମ୍ମାନ

ଯୋଡ଼ା, ୨୦/୯ : ଟାଟା ଷ୍ଟିଲ ଓଏମକ୍ୟୁ (ଓର୍, ମାଇନ୍ସ ଏବଂ କ୍ୱାରିଜ୍) ଡିଭିଜନ୍ କୁ ଖଣି କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗିତା ପାଇଁ “ମାଇନ୍ ଇନୋଭେସନ୍ ଆୱାର୍ଡ”ରେ ସମ୍ମାନିତ କରାଯାଇଛି। ‘ଇଣ୍ଡିଆନ୍ ମାଇନିଂ ଏବଂ ଇଞ୍ଜିନିୟରିଂ ଜର୍ଣ୍ଣାଲ୍’ (ଆଇଏମ୍ଇଜେ) ଦ୍ୱାରା ଶନିବାର ଦିନ ଯୋଡ଼ାସ୍ଥିତ ଟାଟା ଷ୍ଟିଲର ଭ୍ୟାଲି କ୍ଲବ୍ଠାରେ ଆୟୋଜିତ ୫ମ ‘ଇଣ୍ଟରନ୍ୟାସନାଲ୍ କନ୍ଫରେନ୍ସ ଅନ୍ ସେଫ୍ ଆଣ୍ଡ ସଷ୍ଟେନେବୁଲ୍ ମାଇନିଂ ଟେକ୍ନୋଲୋଜିଜ୍ ଏବଂ ମାଇନିଂ ଏକ୍ସପୋ ୨୦୨୬’ ଆୟୋଜନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସମ୍ମାନ ଖଣି ପରିଚାଳନାରେ କାର୍ଯ୍ୟଦକ୍ଷତା, ସୁରକ୍ଷା, ନିପୁଣତା ଏବଂ ଦୀର୍ଘସ୍ଥାୟୀ କରିବା ପାଇଁ ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ବିନିଯୋଗ ନେଇ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବିଭିନ୍ନ ଉଦ୍ଭାବନମୂଳକ ଡିଜିଟାଲ୍ ପ୍ରକଳ୍ପ ଜରିଆରେ ଟାଟା ଷ୍ଟିଲ୍, ଓଏମକ୍ୟୁ ଡିଭିଜନ୍ ଖଣି କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ନିଜର ସମସ୍ତ ଖନନ ପ୍ରକ୍ରିୟାରେ ଉଲ୍ଲେଖମୂଳକ ପରିବର୍ତ୍ତନ ଆଣିପାରିଛି।
ଟାଟା ଷ୍ଟିଲ୍ ଓଏମକ୍ୟୁ ଡିଭିଜନ୍ର ଜେନେରାଲ୍ ମ୍ୟାନେଜର୍ ଦେବାଶିଷ ଜେନା ଏବଂ ଟାଟା ଷ୍ଟିଲ୍ ଯୋଡ଼ାର ଚିଫ୍ ଜି.ଭି. ସତ୍ୟନାରାୟଣ କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଦୁଇ ଦିନିଆ ସମ୍ମିଳନୀ ଓ ମାଇନିଂ ଏକ୍ସପୋରେ ଶିଳ୍ପପତି, ଖଣି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଶିକ୍ଷାବିତ୍ମାନେ ଏକତ୍ରିତ ହୋଇ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଖନନ ପଦ୍ଧତିର ବିକାଶ ଏବଂ ଆଗାମୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଖଣି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହ ବିଭିନ୍ନ ଡିଜିଟାଲ୍ ପଦକ୍ଷେପଗୁଡ଼ିକୁ ଆପଣେଇବା, ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଖନନ ପ୍ରକ୍ରିୟାରେ ନବସୃଜନାତ୍ମକ ବିକାଶକୁ ବଜାୟ ରଖିବା ଦିଗରେ ପ୍ରୋତ୍ସାହିତ କରାଯାଇଥିଲା।
