କିମ୍ସ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡା. ସମ୍ବିତ ଦାସ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ ସଭାପତି ନିର୍ବାଚିତ

0
Untitled

ଭୁବନେଶ୍ୱର: କିମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସମ୍ବିତ ଦାସ ଦେଶର ଏଣ୍ଡୋକ୍ରାଇନୋଲୋଜି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ବୃତ୍ତିଗତ ସଂଗଠନ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

୧୯୭୨ ମସିହାରେ ପ୍ରତିଷ୍ଠିତ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ ଦେଶର ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞମାନଙ୍କର ସର୍ବବୃହତ ସଂଗଠନ। ଏକାଡେମିକ୍ ପଦକ୍ଷେପ, ଗବେଷଣା ସହଯୋଗ, ଜାତୀୟ ରେଜିଷ୍ଟ୍ରି, ଚିକିତ୍ସା ମାର୍ଗଦର୍ଶିକା ଏବଂ ରୋଗୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଏହି ବିଷୟର ବିକାଶରେ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସୁଛି।

ଗତ ୪୦ ବର୍ଷ ମଧ୍ୟରେ ଡା. ଦାସ ପ୍ରଥମ ଓଡ଼ିଆ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଭାବେ ଏହି ସଂଗଠନର ସଭାପତି ନିର୍ବାଚିତ ହୋଇଥିବା କୁହାଯାଉଛି। ଏଥିସହ ସଂଗଠନର ଇତିହାସରେ ସେ ଏହି ପଦବୀ ଅଳଙ୍କୃତ କରିଥିବା ସର୍ବକନିଷ୍ଠ ସଭାପତି ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି।

ଜଣେ ବିଶିଷ୍ଟ ଚିକିତ୍ସକ, ନିଷ୍ଠାବାନ ଶିକ୍ଷକ ଏବଂ ସଫଳ ଗବେଷକ ଭାବେ ଡା. ଦାସ ଏଣ୍ଡୋକ୍ରାଇନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସେ ବର୍ତ୍ତମାନ ଇଏସଆଇର ଉପସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ସାଉଥ୍ ଏସିଆନ୍ ଫେଡେରେସନ୍ ଅଫ୍ ଏଣ୍ଡୋକ୍ରାଇନ୍ ସୋସାଇଟିଜର କାର୍ଯ୍ୟକାରୀ କମିଟି ସଦସ୍ୟ ମଧ୍ୟ ଅଛନ୍ତି।

ଦୀର୍ଘ ବର୍ଷ ଧରି ଏଣ୍ଡୋକ୍ରାଇନୋଲୋଜି କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ‘ଏକ୍ସେଲେନ୍ସ ଇନ୍ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ଡାଇବେଟିସ୍ ଆୱାର୍ଡ’ ପ୍ରଦାନ କରି ସମ୍ମାନିତ କରିଥିଲେ।

ଡା. ଦାସଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ କିଟ୍, କିସ୍‌ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଷ୍ଠିତ ପଦବୀକୁ ଡା. ଦାସଙ୍କ ନିର୍ବାଚନ କେବଳ ଅନୁଷ୍ଠାନ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ମଧ୍ୟ ଏକ ବଡ଼ ସମ୍ମାନର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

You may have missed